ଅଜଗର

ପେଟ ଚିରି ଦେଖେଇବି

ଯଦି ମୋର

ଭିତରେ ଥିବା

ସବୁ ଅସାଡ଼ ମୁହଁକୁ

ପେଟେଇ ଶୋଇ ଥିବା

ଗୋଟିଏ ନାରୀ

ଆବିଷ୍କାର

ନ ହେବ  ବୋଲି

କିଏ କହିବ ?

ମୁଁ ସବୁ ଗିଳି ପାରେ

ସମୟ ସହ

ତାଳ ଦେଇ ।

କେବେ କେବେ

ତୁମକୁ ଆସି

କରିବା ଲାଗି

ପଡିପାରେ

ମୋ ସହିତ ସାଲିସ ।

ହଁ

ମୁଁ ତ ଅଜଗର …..

 

 

 

 

 

 

 

 

Advertisements

ଶବ୍ଦ

ଅକ୍ଷର ର
ମିଶ୍ରଣ ?
ନାଁ ଭାବର
ଅବଗୁଣ୍ଠନ ?
ହୃଦୟ ର
ଆବର୍ତ୍ତନ ,
କିମ୍ବା
ଅନେକ ଅପକ୍ୱ
ଚିନ୍ତା ର
ଏକ
ଦୋଳାୟମାନ
ପରିଚୟ ?
କହିଲେ?
ମୁଁ

ଆଉ କିଛି
ଖୋଜି ପାରୁନି,
ଆପଣ
ପାରିବେକି ?
*******

(ଅରବିନ୍ଦ ଆଚାର୍ଯ୍ୟ)

ସିପୁ

ବାହାଘର ଦୁଇବର୍ଷ ପୁରି ତିନି ଚାଲୁଛି | ଏ ପର୍ଜନ୍ତ ସ୍ମିତା ର କୋଳ ଶୂନ୍ୟ | କେତେ ଠାକୁର ଙ୍କୁ ମାନସିକ କରି କରି ଥକିଲାଣି | ସବୁ ଥର ତା ଆଶା ମଉଳିଯାଉଛି | ପ୍ରତି ଥର ନିଜ ମନକୁ ବୁଝେଇ ଦେଇ ରହିଯାଉଛି | ଭାବୁଛି ,ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁ ମାନେ ବାହାଘର ର ତିନି ଚାରି ବର୍ଷ ପରେ ମଧ୍ୟ ପିଲା ପିଲି ପାଇଁ ବ୍ୟସ୍ତ ହେଉ ନାହାନ୍ତି | କହୁଛନ୍ତି କଣ ନା , ଲାଇଫ କୁ ଏଞ୍ଜୟ ଏବେ କରିବା ନା , ଆଉ କଣ ପିଲା ପିଲି ହେଲେ ଆଉ ଏଞ୍ଜୟ କରିହୁଏ ? କିନ୍ତୁ ସେ କଥା ଗୁଡା ସ୍ମିତା କୁ ଭଲ ଲାଗେନି | ସେ ଭାବେ ଯାହାହେଲେବି ଘରକୁ ସୁନ୍ଦର ପିଲାଟିଏ | ପିଲା ପିଲି ନଥିଲେ ଘର ଟା ଖାଁ ଖାଁ ଲାଗେ | ଯେତେ ଯାହା ହେଲେ ବି ନାରୀ ର ପୂର୍ଣତା ମାତୃତ୍ଵ ରେ | ତା ସାଙ୍ଗରେ ଯେତେ ଜଣ ବାହା ହେଇଥିଲେ ସମସ୍ତେ ପିଲା ପିଲି ଧରି ବୁଲିଲେଣି | ବାଟରେ ଘାଟରେ ଦେଖାହେଲେ ସବୁବେଳେ ପଚାରୁଛନ୍ତି , “କଣ ସ୍ମିତା ଫ୍ୟାମିଲି ପ୍ଲାନିଂଗ କରୁଛୁ କି ? କିଛି ନୂଆ ଖବର ଦେଉନୁ ଯେ ? କୌଦିନ ନୂଆ ଖବର ଦେଇ ଖୁସି କରେଇବୁ ?”

ସ୍ମିତା ଖାଲି ହସି ଦିଏ | କଣ ବା କାହାକୁ କହିବ ? ଅଜାଗା ଘା କାହାକୁ ଦେଖେଇ ହୁଏନି କି ନିଜେ ଦେଖି ହୁଏନି | ସିଏ ଆଉ ତା ସ୍ୱାମୀ ପ୍ରଶାନ୍ତ ବାହାଘର ର ମାସେ ପରେ ଏଇ ସହରକୁ ଆସି ଭଡା ଘରେ ରୁହନ୍ତି | ପ୍ରଶାନ୍ତ ଗୋଟେ ପ୍ରାଇଭେଟ କମ୍ପାନୀ ରେ ଚାକିରି କରେ | ପ୍ରଶାନ୍ତ ର ନିଜ ଘର ଅନୁଗୁଳ ରେ | କିନ୍ତୁ ଏବେ ନିଜର ବୋଇଲେ କେହି ନାହାନ୍ତି | ପିଲାଟି ଦିନରୁ ବାପ ଛେଉଣ୍ଡ , ତା ମା ହିଁ ତାକୁ ପାଳିପୋଷି ବଡ କରିଥିଲେ | କିନ୍ତୁ ତା’ ମା ପ୍ରଶାନ୍ତ ର ବାହାଘର ର ପନ୍ଦର ଦିନ ଯାଇଛି କି ନାହିଁ ହାର୍ଟ ଆଟାକ ରେ ସେପାରିକୁ ଚାଲିଗଲେ | ପ୍ରଶାନ୍ତ ର ମାମୁଁ ଘର ଆଡୁ କିମ୍ବା ତା ‘ର ନିଜ ବାପା ଙ୍କ ଆଡୁ ସେମିତି କେହି ନିକଟ ସମ୍ପର୍କୀୟ କେହି ନାହାନ୍ତି | ଯିଏ ବି ଅଛନ୍ତି ସମସ୍ତେ ଦିନେ ଅଧେ ପାଇଁ | ଖାଲି ଦାଇତ୍ଵ ଅଛି ବୋଲି କେବେ କେବେ ଫୋନ ରେ ପଚାରି ଦିଅନ୍ତି କେମିତି ଅଛୁ ବୋଲି……. ସେତିକି | ସ୍ମିତା ର ଆଉ ପ୍ରଶାନ୍ତ ର ଆରେଞ୍ଜ୍ଡ଼ ମ୍ୟାରେଜ | ପ୍ରଶାନ୍ତ ର ମା ହିଁ ସ୍ମିତା କୁ ଦେଖି ପସନ୍ଦ କରିଥିଲେ |

ସ୍ମିତା ବି ପିଲା ଦିନରୁ ମଉଷା ମାଉଷି ଙ୍କ ପାଖରେ ରହି ବଢି ଆସିଛି |ସିଏ ମଧ୍ୟ ଅଭାଗିନୀ | ଛୋଟ ବେଳୁ ବାପା ମା ଙ୍କୁ ହରେଇଛି | ତା ବାପା ମା ଙ୍କ କଥା ତାର ଝାପସା ଝାପସା ମନେ ପଡେ | ସିଏ ସେତେବେଳେ ବୋଧହୁଏ ନର୍ସରୀ କିମ୍ବା ୟୁ କେଜି ପଢୁଥିଲା | ଦିନେ ସ୍କୁଲ ରୁ ଫେରି ଘରେ ପହଞ୍ଚିଲା ବେଳକୁ ଦେଖିଲା ତାଙ୍କ ଘରସାରା ଲୋକ ଭର୍ତି | କଣ ହେଇଛି ବୋଲି ଲୋକଙ୍କୁ ଆଡେଇ ପଶି ଗଲା ବେଳକୁ ଦେଖିଲା ତା ବାପା ଆଉ ମା ଙ୍କୁ ଦାଣ୍ଡ ଘରେ ଧଳା ଚାଦର ଘୋଡେଇ ଶୁଆଇ ଦିଆ ଯାଇଛି | ସିଏ ତ ଛୋଟ , କିଛି ବୁଝି ପାରୁ ନଥାଏ | ଖାଲି ବିକଳ ରେ ଡାକୁଥିଲା ,

“ ଏ ମା ! ଉଠ୍ ……. ବାପା ଉଠ !” କିନ୍ତୁ କେହି ଉଠିନଥିଲେ | ପରେ ତା ମଉଷା ମାଉଷି ଙ୍କ ଠୁ ଶୁଣିଲା ତା ବାପା ଆଉ ମା ଗାଡି ଚଲେଇ ଗଲା ବେଳେ ପଛରୁ ବଡ ଟ୍ରକ ଆସି ପିଟି ଦେଇଥିଲା | ଦୁହେଁ ସେଇଠାରେ ହିଁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ | ସେବେ ଠାରୁ ବାହାଘର ହେଲାଯାଏ ସିଏ ମଉଷା ଙ୍କ ଘରେ ବଢିଛି | କିନ୍ତୁ ବାହାଘର ପରେ ପରେ ପ୍ରଶାନ୍ତ ହିଁ ସ୍ମିତା ର ଦୁନିଆଁ |

ପ୍ରଶାନ୍ତ ବହୁତ ଭଲ | ମଦ ନିଶା , ବିଡି ସିଗାରେଟ , ଗୁଟୁଖା , ଏମିତିକି ଚା ବି ପିଏନି ସିନା , ଗୋଟେ ବଦ୍ ଗୁଣ ତା’ର ଥିଲା , ସେଇଟା ହେଲା ସାଙ୍ଗ ଦେଖିଲେ ସବୁକଥା ଭୁଲିଯାଏ | ଘରେ ସ୍ମିତା କୁ କହି ଆସିଥିବା କଥା ମଧ୍ୟ ଭୁଲି ଅନ୍ୟ କାମରେ ମାତିଯାଏ | କମ୍ପାନୀ କାମରେ ବିଭିନ୍ନ ଜାଗାକୁ ଯିବାକୁପଡେ | ବହୁତ ସମୟ ରେ କଥା ଦେଇ କଥା ରଖିପାରେନି | ପ୍ରଶାନ୍ତ ଜାଣେ ସ୍ମିତା ଆଉ ସିଏ ଦୁହେଁ ଏ ଦୁନିଆଁ ରେ ପୁରା ଏକୁଟିଆ କହିଲେ ଚଳେ | ନିଜର ବୋଇଲେ କେହି ନାହାନ୍ତି | କିନ୍ତୁ ସ୍ମିତା କୁ ତାର ସମୟ ର ଖୁବ କମ୍ ଭାଗ ହିଁ ଦେଇ ପାରେ | ସେଥିପାଇଁ ଦୁହିଙ୍କ ଭିତରେ କେବେ କେବେ ମନୋମାଳିନ୍ୟ ହେଇଯାଏ | କିନ୍ତୁ ପ୍ରଶାନ୍ତ ସବୁବେଳେ ସ୍ମିତା କୁ ଖୁବ ଭଲ ଭାବରେ ମନେଇ ଦିଏ | ସେ କଳା ରେ ତାକୁ କେହି ପାରିବେନି | କାରଣ ବହୁତ ଭଲପାଏ ସେ ସ୍ମିତା କୁ |

ଏଇ ଶିବରାତ୍ରୀ ର ଘଟଣା , ପ୍ରଶାନ୍ତ ସ୍ମିତା କୁ କହି ଥିଲା ସେଇ ସପ୍ତାହରେ ମେଡିକାଲ ଚେକପ ପାଇଁ ନେଇ ଯିବ ବୋଲି | କିନ୍ତୁ ସିଏ କଣ ଜାଣିଥିଲା ତା ସବୁ ସାଙ୍ଗ ମିଶି ତାକୁ ବାଧ୍ୟ କରି ଶିବରାତ୍ରୀ ମେଳା କୁ ନେଇଯିବେ ବୋଲି ? ଯେତେ କହିଲେ ବି ମାନି ଲେନି | ଏକା ଯିଦ ପ୍ରଶାନ୍ତ ନଗଲେ କେହି ଯିବେନି | ଆଗରୁ ତ ସାଙ୍ଗ ମାନ ଙ୍କୁ ମୁଣ୍ଡରେ ବସେଇଛି | ଏବେ କରିବ କଣ ? ବାଧ୍ୟ ହେଇ ଶିବରାତ୍ରୀ ମେଳା ଗଲା | ଶିବରାତ୍ରୀ ମେଳା ରେ ବୁଲୁଥିଲା ସିନା , ମନ ଟା ଥାଏ ସ୍ମିତା ପାଖରେ | ଖାଲି ଭାବୁଥିଲା ଘରକୁ ଫେରିଲେ କେମିତି କଣ କହିବ ? ଶିବରାତ୍ରୀ ମେଳା ରେ ଯିଏ ଯାହା ଯାଚିଲା କିଛି ପାଟିରେ ଦେଲାନି | ମନ ଭଲ ଥିଲେ ସିନା ରୁଚିବ ? ସେମିତି ସେମିତି ଭୋକରା ପେଟରେ ଶିବରାତ୍ରୀ ମେଳା ରେ ବୁଲୁଥିଲା | ଆଉ ବାରମ୍ବାର ସାଙ୍ଗ ମାନ ଙ୍କୁ କହୁଥିଲା ,”ହେଲା ଭାଇ ! ସେତିକି ବୁଲିଥାଅ | ତୁମେ ସିନା ବାହା ସାହା ହେଇନ , ମୁଁ ତ ହେଇଛି | ମୋତେ କାହିଁକି ଅପଦସ୍ତ କରାଉଛ କହିଲ ? ଶୀଘ୍ର କାମ ସାର ଯିବା |”

କିଏ ତା କଥା କୁ ହସ ରେ ଉଡେଇ ଦେଉଥାଏ ତ ଆଉକିଏ ତାକୁ ଟାହି ଟାପରା କରି କହୁଥାଏ ,”ଓଃ ….ଇଏ ଏକୁଟିଆ ବାହା ହେଇଛି | ଆଉ କିଏ ଦୁନିଆଁ ରେ ବାହା ହେଇଛନ୍ତି କି ? ବେଶି ଘର ଘର ହେଉଛି | ରଖ ବେ ତୋ ଘର | ଶଳା .. ସ୍ତ୍ରୀ ବୋଲକରା ! ଘଡିଏ ସାଙ୍ଗ ଙ୍କ ସହିତ କାଟି ପାରୁନି |”

ଏମିତି କଥା କଟା କଟି ରେ ବହୁତ ସମୟ ପଳେଇଥିଲା | ଘର କୁ ଫେରୁ ଫେରୁ ବହୁତ ଡେରି , ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା | ମୁହଁ ଲାଲ ଦେଖାଯାଉଥିଲା |

“କଉଠି ଥିଲ ଏତେବେଳ ଯାଏଁ ? ଏଇଟା ଘର ନାଁ ଆଉକିଛି ? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ ? ଆଉ କାହା ପ୍ରତି ତମର କିଛି ଦାୟିତ୍ଵ ଅଛି ବୋଲି ଜାଣିଛ ନା ନାହଁ ?”

ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ | ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା ,

“ମୋତେ ଭୋକ ଲାଗିଲାଣି, ଜଲଦି ଖାଇବାକୁ ବାଢ !”

ସ୍ମିତା ଅବାକ ହେଇ ଚାହିଁ ରହିଥିଲା | କି ଅଦ୍ଭୂତ ମଣିଷ ଇଏ ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି ? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ | ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହଁ | ଆଜି ଖାଇବାକୁ ମିଳିବ ନାହଁ ବୋଲି ସ୍ମିତା ଘୋଷଣା କରିଦେଲା |

“କିଛି ରାନ୍ଧିନ ?” ଭୋକ କୁ ଚାପି ପ୍ରଶାନ୍ତ କହିଲା |

“ରାନ୍ଧିଛି , କିନ୍ତୁ ତୁମକୁ ଦେବିନି |” ସ୍ମିତା ଗରଗର ହେଇ କହୁଥିଲା | ତା ପରେ ପୁଣି କହିଲା ,

“ଏତେଜୋରରେ କିଏ ଏମିତି ଧକ୍କା ଦିଏ ? ଆଉ ଟିକେ କୁ ମୋ ମୁଣ୍ଡ କାନ୍ଥରେ ବାଜିଥାନ୍ତା | “

“ଓ ……ସରି ….. ତୁମେ ବାଟ ଓଗାଳି ଛିଡା କାହିଁକି ହେଇଥିଲ କି ? ମୁଣ୍ଡ ବାଜିନି ତ ? ବାଜିଥିଲେ ମୁଁ ଡାକ୍ତରଖାନା ନେଇ ଯାଇଥାନ୍ତି | କିଛି ଚିନ୍ତା କରନି |” କହିବା ସହିତ ନିଜ ଡାହାଣ ଆଖି କୁ ବନ୍ଦ କରି ଜିଭ କାମୁଡି ସ୍ମିତା କୁ ଜଣେଇ ଦେଉଥିଲା ଯେ ସେ ଯାହା କରିଛି ଅଜାଣତରେ | ଏତେ ଜୋର ରେ ଠେଲି ହେଇଯିବ ବୋଲି ସେ ଭାବିନଥିଲା |

“ଆଉ ରଗାଅନି … କହିଦଉଛି | କୌଠି ଥିଲ ତୁମେ ?”

“ସରି ବାବା !….. ଭୁଲ ହେଇଗଲା …. ଆଉ ରାଗନି | ସତରେ ମୋତେ ବହୁତ ଭୋକ ଚାଲ ମିସିକି ଖାଇବା ଆଉ କଥା ହେବା …….ଓକେ !” ଏତିକି କହି ପ୍ରଶାନ୍ତ କୋଳେଇନେଲା ସ୍ମିତା କୁ | ସ୍ମିତା ଆଉ କେତେ ବା ରାଗନ୍ତା ? ନିଆଁ ରେ ପାଣି ପଡିଲା ପରି ସ୍ମିତା ର ରାଗ ଥଣ୍ଡା ହେଇ ଗଲା | ଏଇ ହେଲା ନାରୀ ର ମହାନତା | ଟିକିଏ ସ୍ନେହ ଆଦର ପାଇଲେ ଦୁନିଆଁ ର ସବୁ କଷ୍ଟ କୁ ହସି ହସି ସହିଯିବେ |

ଦୁହେଁ ଯାଇ ଯାହା ରନ୍ଧା ହେଇଥିଲା ସାଙ୍ଗହେଇକି ବଢା ବୁଢି କଲେ | ଖାଇବା ବାଢୁ ବାଢୁ ସ୍ମିତା କହୁଥିଲା ,

“ଜାଣିଛ , ମୁଁ ବି କିଛି ଖାଇନି | ବହୁତ ଭୋକ | ସ୍ତ୍ରୀ କୁ ଏମିତି ଭୋକରେ ରଖନ୍ତି ? ପାପ ହବ , ଆଉ କେବେ ବି ଏମିତି କରିବନି |”

ପ୍ରଶାନ୍ତ କାନ ଧରିବା ଭଳି ଦୁଇ ହାତ ଛନ୍ଦି , ସ୍ମିତା ର ମୁହଁ କୁ ନିଜ ମୁହଁ ପାଖରେ ରଖି କହୁଥିଲା ,

“ଆଉ , କେବେ ସେମିତି ହବନି | ମୁଁ ଜାଣିଛି ତୁମେ ମୋତେ ନ ଖୁଆଇ ନିଜେ ଖାଇବନି | କିନ୍ତୁ ଏ ସବୁ ପୁରୁଣା ନୀତି ନିୟମ | ତାକୁ ଆଜିକାଲି ଏମିତି ମାନିଲେ ଚଳି ହବ ? “

“ଆଉ ? ତୁମେ ତୁମ କଥା ନରଖି ମୋତେ ଡାକ୍ତରୀ ପରୀକ୍ଷା ପାଇଁ ନ ନେଲେ ଚଳିବ , ନୁହେଁ ?”

“ କହିଲି ପରା , ଭୁଲ ହେଇଗଲା | କାଲି ହିଁ ଯିବା , ମନ ଖୁସି ତ ?”

ପ୍ରଶାନ୍ତ ଆଉ ସ୍ମିତା ପରସ୍ପର କୁ ଖୁଆଇ ଦେଉଥିଲେ | ସ୍ଵର୍ଗୀୟ ବାତାବରଣ ଖେଳିଯାଉଥିଲା | ସ୍ତ୍ରୀ ର ସୁଖ ସ୍ବାମୀ ସୋହାଗ ରେ |

ଖାଇ ସାରି ଦୁହେଁ ବହୁତ କଥା ହେଲେ | ପ୍ରଶାନ୍ତ ନିଜ ସାଙ୍ଗମାନକ କଥା ମଧ୍ୟ କହିଲା | କେମିତି ସିଏ ଶିବରାତ୍ରୀ ମେଳା ଯିବାକୁ ଚାହୁଁ ନଥିଲେ ମଧ୍ୟ , ତା ସାଙ୍ଗ ମାନେ ତାକୁ ଜୋର କରି ଶିବରାତ୍ରୀ ମେଳା ବୁଲିବାକୁ ନେଇ ଯାଇଥିଲେ ଇତ୍ୟାଦି ସବୁ କହିଲା | ସବୁ ଶୁଣି ସ୍ମିତା ବୁଝି ପାରୁଥିଲା ପ୍ରଶାନ୍ତ ତାକୁ କେତେ ଭଲପାଏ | ଆଉ ନିଜକୁ ନିଜେ ଲଜ୍ଜିତ ହେଇ ଭାବୁଥିଲା କେତେ ରାଗିଯାଇଥିଲା ସେ ,ପ୍ରଶାନ୍ତ ଉପରେ |

ତା ପର ଦିନ ପ୍ରଶାନ୍ତ ସ୍ମିତା କୁ ନେଇ ଡାକ୍ତର ଙ୍କ ପାଖକୁ ଗଲା | ଡାକ୍ତର ସବୁ ଦେଖିଲେ | ଆଶ୍ଵାସନା ଦେଇ କହିଲେ ,

“କିଛି ଚିନ୍ତା କରନ୍ତୁ ନାହିଁ | ଏବେ ଦୁଇଜଣ ଙ୍କ ସବୁ ଟେଷ୍ଟ ରିପୋର୍ଟ ଭଲ ଆସିଛି | ପୂର୍ବରୁ ଯାହା ଟିକେ ଟିକେ ଅସୁବିଧା ଥିଲା ସବୁ ଭଲ ହେଇ ଆସିଲାଣି | ସ୍ମିତା ନିଶ୍ଚୟ ମା ହେବ |”

କହିବା ବାହୁଲ୍ୟ ବର୍ଷେ ପରେ ସ୍ମିତା ଗୋଟିଏ ପୁତ୍ର ସନ୍ତାନ କୁ ଜନ୍ମ ଦେଲା | ତା ନା କଣ ରଖିଥିବ କହିଲେ ? ପିଲାଟି ର ଡାକ ନାଁ …….. ‘ସିପୁ’ …… ସ୍ମିତା ରୁ ‘ସି’ ଆଉ ପ୍ରଶାନ୍ତ ରୁ ‘ପୁ’ |କେମିତି ଲାଗିଲା ?

ଜାଗର ସ୍ପେଶାଲ

🌰🌿🌼

ଉପରେ ରଖିଲି ନଡ଼ିଆ ଫାଳେ । ତା ସହିତ ବେଲପତ୍ର ଆଉ ଫୁଲ । ରାତି ୪ଟା ରୁ ନିଦ ଭାଙ୍ଗିଗଲା । ଘରଣୀ ଙ୍କୁ ସାଙ୍ଗ ରେ ନେଇ ମନ୍ଦିର କୁ ବାହାରି ଗଲି । ଆଗ ବର୍ଷ ପରି ସେତେ ଲୋକଙ୍କ ଯିବା ଆସିବା ହେଉ ନଥିଲା । ଗତ ବର୍ଷ ଏତିକିବେଳେ ଜମା ଶୀତ ଅନୁଭୂତ ହେଉନଥିବାରୁ ଏଥର ମଧ୍ୟ ଭାବୁ ଥିଲି ବାହାରେ ସେତେ ଥଣ୍ଡା ଲାଗୁ ନଥିବ । କିନ୍ତୁ ମୁଁ ଭୁଲ ଧାରଣା କରିଥିଲି । ହାଲ୍କା ଶୀତ ଅନୁଭୂତ ହେଉଥିଲା । ଆପଣ ମନ୍ଦିର ଦର୍ଶନ କଲେଣି ?
ଆଁ….. କରି ନାହାନ୍ତି । ଯାଆନ୍ତୁ …. ପ୍ରଥମେ ମନ୍ଦିର ଯାଇ ଆସନ୍ତୁ , ତା ପରେ ମୋ ଲେଖା ପଢିବେ ….😉🥥🍃(ଅରବିନ୍ଦ ଆଚାର୍ଯ୍ୟ, 7008667785)