ରେଡ଼ ରିବନ୍ ଡେ

” ଆଜ୍ଞା ! ଆଜି କେତେବେଳେ ରାଲି ହେବ ?”

“କଲେଜ ପିଲାଏ ଆସିଲେ ସିନା , କାଲି କଲେଜଗଲି ପ୍ରିନ୍ସପାଲ ଙ୍କୁ ବି କହି ଆସିଥିଲି । ଦେଖିବା କେବେ ପିଲାଙ୍କୁ ଛାଡ଼ୁଛନ୍ତି ।”

ଜଣେ ସ୍ବାସ୍ଥ୍ୟ କର୍ମଚାରୀ ଓ ଜଣେ ଏନ୍ଜିଓ କର୍ମୀ ଙ୍କ କଥୋପକଥନ , ମୋ କାନରେ ବାଜିଲା ।

ଶୀତୁଆ ସକାଳେ ମୁଁ ସବୁଦିନେ ଏଇଠି ଆସି ଚା ପିଏ । ବିଭିନ୍ନପ୍ରକାର ଲୋକଙ୍କଭିଡ଼ ଏ ଦୋକାନରେ । ଚା ତିଆରି କରୁ କରୁ ସଫା । ଦିନରେ କେତେ ଲିଟର କ୍ଷୀର ରେ ସେ ଦୋକାନୀ ଚା ତିଆରିକରୁଥିବ କେଜାଣି । ଥରେ ପେପରରେ କାଳେ ବାହାରି ଥିଲା , କୋଉ ଗୋଟେ ଜାଗାରେ କିଏ ଜଣେ ଚା ଦୋକାନୀ ,ନିଜ ଚା କୁ ବହୁତ ଲୋକ ମାନଙ୍କ ନିଶା ରେ ପରିଣତ କରିବାପାଇଁ କାଳେ ଚା ରେ ଅଫିମ ମିଶୋଉ ଥିଲା । ସେକଥା ମନେ ପଡ଼ିଗଲା ବେଳକୁ ମୁଁ ଅଧା ଚା ଫିଙ୍ଗିଦେଲି । ପଇସା ବଢ଼େଇ ଦେଇ ,ସେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ଚାହିଁଲି । ସିଏ ମୋର ଏଇ ଦୋକାନରେ ଦେଖା ଚିହ୍ନ। , ତେଣୁ ହାଠାତ ପଚାରିଲେ,

“କଣ ଆଜ୍ଞା ! ସବୁ ଭଲ ? ”

“ହଁ , ସେମିତି । ଆଉ ଆଜି କି ରାଲି କଥା କହୁଥିଲେ ?”

“ଆଜ୍ଞା ! ଆଜି ପରା ଡିସେମ୍ବର ୧ । ଭୁଲିଗଲେ କି ? ବିଶ୍ୱ ଏଡ୍ସ ଦିବସ ….ପରା !”

“ଆଛା ….!”

“ରେଡ଼ ରିବନ ଡେ ।”

“ଓଃ..ହୋ ।”

ଏୟା କହିବା ଭିତରେ , ଛୋଟ ରେଡ ରିବନ୍ଟି କୁ ଆଣି ମୋ ଛାତିଉପରେ ଖଞ୍ଜି ଦେଲେ ।

ଦେଖିଲି ତାଙ୍କ ଛାତିରେ ଆଉ ସେ ଏନ୍ଜିଓ କର୍ମୀ ଙ୍କ ଛାତିରେ ମଧ୍ୟ ସେଇ ରେଡ଼ ରିବନ ଶୋଭା ପାଉଥିଲା ।

ସେମାନେ ଚାଲିଗଲେ କିଛି ସମୟ ମଧ୍ୟରେ । ମୁଁ କିନ୍ତୁ ଭାବୁଥଲି , ଚା ପିଉ ପିଉ ଅଧା ଚା ଫିଙ୍ଗି ଦେଲେ କଣ ଦେହରେ ,ଚା ରୁ ମିଶିଥିବା ଅଫିମ  ବାହାରିଯିବ ? ଆଉ ଏଚ ଆଇ ଭି ପରି ମୋତେ ଜାବୁଡି ଧରିବନି ତ ?

Leave a comment